• Sun. Feb 22nd, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ଜିନ୍ଦଲ ଷ୍ଟିଲ୍ ପକ୍ଷରୁ ଅନୁଗୁଳରେ ୭୯ତମ ସ୍ୱାଧୀନତା ଦିବସ ପାଳିତ l ସ୍ୱପ୍ନର ଭାରତ ନିର୍ମାଣରେ ଏକତ୍ରିତ ହେବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ ଜିନ୍ଦଲ ଷ୍ଟିଲ୍ ଅଧ୍ୟକ୍ଷ -: ଶ୍ରୀ ନବୀନ ଜିନ୍ଦଲ

Avatar

ByKalahira Live

Aug 16, 2025
Spread the love

(କଳାହୀରା ଲାଇଭ )

ଜିନ୍ଦଲ ଷ୍ଟିଲ୍ ପକ୍ଷରୁ ଅନୁଗୁଳ ଷ୍ଟିଲ୍ ପ୍ଲାଣ୍ଟ ପରିସରରେ ଦେଶପ୍ରେମର ଉତ୍ସାହ ସହିତ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଜିନ୍ଦଲ ଷ୍ଟିଲ୍,ର ଅଧ୍ୟକ୍ଷ ତଥା ହରିୟାଣାର କୁରୁକ୍ଷେତ୍ରରୁ ତୃତୀୟ ଥର ସାଂସଦ ନିର୍ବାଚିତ ହୋଇଥିବା ଶ୍ରୀ ନବୀନ ଜିନ୍ଦଲ, ଜିନ୍ଦଲ ନଗରରେ ଆୟୋଜିତ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସମାବେଶକୁ ସମ୍ବୋଧିତ କରି ଶ୍ରୀ ନବୀନ ଜିନ୍ଦଲ କହିଥିଲେ, “ଏହି ସ୍ୱାଧୀନତା କେବଳ ଏକ ଉପହାର ନୁହେଁ, ଏହା ଏକ ମହାନ ଦାୟିତ୍ୱ – ଆମ ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ଭାରତବର୍ଷର ସ୍ୱପ୍ନ ଦେଖିଥିଲେ ତାହା ନିର୍ମାଣ କରିବା ପାଇଁ ମହାତ୍ମା ଗାନ୍ଧୀ ସଂଘର୍ଷ କରିଥିଲେ, ଭଗତ ସିଂହ ନିଜ ଜୀବନ ଦେଇଥିଲେ ଏବଂ ଅଗଣିତ ସଂଗ୍ରାମୀ ବଳିଦାନ ଦେଇଥିଲେ। ପ୍ରକୃତ ସ୍ୱାଧୀନତା ସେତେବେଳେ ଆସିବ ଯେତେବେଳେ ଆମର ଚାଷୀମାନେ ଚାଷ କରିବା ସହ କୃଷି ଭିତ୍ତିକ ଶିଳ୍ପ ଉଦ୍ୟୋଗୀ ହେବେ, ଆମର ଯୁବକମାନେ ଚାକିରି ଖୋଜିବା ପରିବର୍ତ୍ତେ ନିଯୁକ୍ତି ସୃଷ୍ଟି କରିବେ, ଗାଁଗୁଡ଼ିକରେ ୨୪ ଘଣ୍ଟା ବିଦ୍ୟୁତ୍ ଏବଂ ଗୁଣାତ୍ମକ ଶିକ୍ଷା ସହିତ ରାଜପଥ ସହିତ ସଂଯୁକ୍ତ ହେବେ, ପ୍ରତ୍ୟେକ ନାଗରିକଙ୍କଙ୍କୁ ସ୍ୱାସ୍ଥ୍ୟସେବା ଉପଲବ୍ଧ ହେବ, ପ୍ରତ୍ୟେକ ଘରେ ଖାଦ୍ୟ ରହିବ, ଏବଂ ଆମର ଝିଅମାନେ ରାତିରେ ମଧ୍ୟ ନିର୍ଭୀକ ଭାବରେ ଚାଲିପାରିବେ। ମୋ ସ୍ୱପ୍ନର ଭାରତ ହେଉଛି ଏପରି ଏକ ଭାରତ ଯେଉଁଠାରେ ଆମେ ଜାତି ଏବଂ ଧର୍ମର ପ୍ରାଚୀର ଭାଙ୍ଗି କେବଳ ଭାରତୀୟ ହେବାରେ ଗର୍ବ କରିବୁ ।”ଏହି ଉତ୍ସବରେ ଓ.ପି. ଜିନ୍ଦଲ ସ୍କୁଲ, ଜିନ୍ଦଲ ଆଶା ଏବଂ ଡିଏଭି-ସାବିତ୍ରୀ ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଜାତୀୟ ଗର୍ବର ଭାବନାରେ ପରିପୂର୍ଣ୍ଣ ଥିବା ଏହି ସବୁ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା।ଜିନ୍ଦଲ ଷ୍ଟିଲର ଅନୁଗୁଳ ପ୍ଲାଂଟ ହେଡ୍ ଶ୍ରୀ ପଙ୍କଜ ମଲହାନ ଏହି ଉତ୍ସବରେ ସାମିଲ ହୋଇଥିବା ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ରାଷ୍ଟ୍ର ପ୍ରତି ନିରନ୍ତର ପ୍ରତିବଦ୍ଧ ହେବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଶ୍ରୀ ନବୀନ ଜିନ୍ଦଲଙ୍କ ସ୍ୱପ୍ନର ଭାରତ ଗଠନରେ ସମ୍ପୂର୍ଣ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।ଶ୍ରୀଯୁକ୍ତ ହୃଦୟେଶ୍ୱର ଝା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ଏବଂ ଶ୍ରୀଯୁକ୍ତ ଦାମୋଦର ମିତ୍ତଲ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ( ପ୍ରକଳ୍ପ)ଙ୍କ ସହିତ ଅନ୍ୟାନ୍ୟ ଅତିଥିମାନେ ଅନୁଗୁଳ ଓ.ପି. ଜିନ୍ଦଲ ସ୍କୁଲ ପରିସରରରେ ଆୟୋଜିତ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ। ସେହିପରି ପାର୍ଶ୍ଵବର୍ତ୍ତୀ ଗ୍ରାମର ଶତାଧିକ ବାସିନ୍ଦା, କର୍ମଚାରୀ, କର୍ମଚାରୀଙ୍କ ପରିବାର ସଦସ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।ସେହିପରି ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ଜିନ୍ଦଲ ଷ୍ଟିଲର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ସ୍ଥାନୀୟ ସମ୍ପ୍ରଦାୟ ସହିତ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଏହି ଅବସରେ ୧୧୧ଟି ସ୍କୁଲ, ୬୧ଟି ଅଙ୍ଗନୱାଡି କେନ୍ଦ୍ର, ବରିଷ୍ଠ ନାଗରିକ ଗୃହ ଏବଂ ଶିଶୁ ଗୃହ ମଧ୍ୟରେ ୬୦,୦୦୦ରୁ ଅଧିକ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଥିଲା।ଶ୍ରୀମତୀ ଶାଲୁ ଜିନ୍ଦଲ ତାଙ୍କ ସ୍ୱାଧୀନତା ଦିବସ ବାର୍ତ୍ତାରେ କହିଥିଲେ, “ସ୍ୱାଧୀନତା ସେତେବେଳେ ସବୁଠାରୁ ଅର୍ଥପୂର୍ଣ୍ଣ ହୋଇଥାଏ ଯେତେବେଳେ ଏହା ଅନ୍ୟମାନଙ୍କୁ ସଶକ୍ତ କରିଥାଏ”।ଏହି ସ୍ୱାଧୀନତା ଦିବସରେ, ଆସନ୍ତୁ ଆମେ ଆମର ସ୍ୱାଧୀନତାକୁ ସମ୍ମାନ କରିବା ଏବଂ ଏହାର ଆଲୋକକୁ ପ୍ରତ୍ୟେକ ଲୋକଙ୍କ ନିକଟରେ ପହଞ୍ଚାଇବା।ଏକତ୍ରିତ ହୋଇ, ଆସନ୍ତୁ ଏକ ଏପରି ଏକ ରାଷ୍ଟ୍ର ନିର୍ମାଣ କରିବା ଯେଉଁଠାରେ ସ୍ୱାଧୀନତା ସମସ୍ତଙ୍କ ନିକଟରେ ପହଂଚି ପାରିବ ଏବଂ ଏପରି ଏକ ଦୁନିଆ ଗଢିବା ଯେଉଁଠାରେ ସ୍ୱାଧୀନତାର ଅର୍ଥ ହେବ ସମସ୍ତଙ୍କ ପାଇଁ ସମାନ ସୁଯୋଗ, ବିକାଶ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନ”।

Leave a Reply

Your email address will not be published. Required fields are marked *