ତାଳଚେର :-ଜଳ ହେଉଛି ଜୀବ ଜଗତ ପାଇଁ ଏକ ଅମୂଲ୍ୟ ସଂପଦ । ଏହାକୁ ସଂରକ୍ଷଣ କରିବା ମାନବ ସମାଜର ପରମ କର୍ତବ୍ୟ । ଅନ୍ୟଥା ମନୁଷ୍ୟ ସମାଜର ଭବିଷ୍ୟତ ପିଢ଼ି ଜଳାଭାବରୁ ଜୀବନ ନିର୍ବାହ କରିବା ଅସମ୍ଭବ ହୋଇପଡିବ । ମିଳିତ ଜାତିସଂଘର ଆହ୍ୱାନ କ୍ରମେ ବିଗତ ୧୯୯୩ ମସିହାରୁ ପାଳନ ହେଉଥିବା ବିଶ୍ୱ ଜଳ ଦିବସର ଚଳିତ ବର୍ଷର ବିଷୟ ବସ୍ତୁ ‘ହିମ ପ୍ରବାହ ସଂରକ୍ଷଣ’ କୁ ନେଇ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦେବୀ ମିଶ୍ର, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଡ. କଳ୍ପନା ବୋଇତି ଯୋଗଦେଇ ଅନୁଗୋଳ ଜିଲ୍ଲା ତଥା ତାଳଚେର ଏକ ଶିଳ୍ପ କ୍ଷେତ୍ର ହୋଇଥିବାରୁ ଏଠାରେ ପ୍ରଦୂଷଣର ମାତ୍ରା ଯଥେଷ୍ଟ ଅଧିକ ଓ ଭୂତଳ ଜଳ ସ୍ତର ସଂପୂର୍ଣ୍ଣ ଲୋପ ପାଇବାକୁ ବସିଲାଣି । ବ୍ରାହ୍ମଣୀ ନଦୀ କୂଳରେ ତାଳଚେର ସହର ଅବସ୍ଥିତ ଥିଲେ ମଧ୍ୟ ଏଠାରେ ସ୍ୱଚ୍ଛ ସୁଦ୍ଧ ପାନୀୟ ଜଳ ପାଇବାରେ ସହରବାସୀ ବଂଚିତ । ତେଣୁ ଭୂତଳ ଜଳ ସ୍ତରକୁ ବଢ଼ାଇବା ପାଇଁ ପ୍ରତ୍ୟେକ ଜନସାଧାରଣ ନିଜ ଛାତ ଉପରୁ ପାଇପ୍ ଜରିଆରେ ବର୍ଷା ଜଳ ଅମଳ ପ୍ରକଳ୍ପକୁ ଆପଣେଇବା ନିହାତି ଜରୁରୀ ବୋଲି ମତପୋଷଣ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଆଇଡ୍ରିମ୍ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଦିପ୍ତି ରଂଜନ ବିଶ୍ୱାଳ ଗ୍ଲାସିଅର ଜରିଆରେ ପୃଥିବୀର ଅର୍ଦ୍ଧାଧିକ ଜନସମୁହ ମଧୁର ପାନୀୟ ଜଳ ପ୍ରାପ୍ତ ହୋଇଥାନ୍ତି । କିନ୍ତୁ ବଡ ଚିନ୍ତାର ବିଷୟ ଯେଉଁ ପରିମାଣରେ ହିମ ପ୍ରବାହ ହେବା କଥା ଜଳବାୟୁ ପରିବର୍ତନ ଓ ମାତ୍ରାଧିକ ପ୍ରଦୂଷଣ ନିମିତ ଯଥେଷ୍ଟ ଅଧିକ ହିମ ପ୍ରବାହ ହେଉଛି । ଏହାର ସଂରକ୍ଷଣ ପାଇଁ ପଦକ୍ଷେପ ନ ନିଆଗଲେ ଭବିଷ୍ୟତରେ ଜନସମୂହ ପାଇଁ ବିପଦ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ସଂଜୀବ ପଟ୍ଟନାୟକ, ସଂଘର ସାଧାରଣ ସଂପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ ମଂଚାସୀନ ଥିଲେ । ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ପୌରାଚଂଳର ଅମଲାପଡା ସ୍ଥିତ ସଂସ୍କୃତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଧୀରମୋହନ ରାୟ ଅଧ୍ୟକ୍ଷତା କରିବା ସହିତ ମଂଚ ପରିଚାଳନା କରିଥିଲେ । ଆଗାମୀ ଦିନରେ ଜଳ ସଂରକ୍ଷଣ ଉପରେ ସଚେତନତା କାର୍ଯ୍ୟକ୍ରମ କରାଯିବା ନେଇ ସମାଜସେବୀ କ୍ଷୀରୋଦ ସାହୁ ଏବଂ ବାପି ମହାନ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ଦାୟୀତ୍ୱ ପ୍ରଦାନ କରାଯିବା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ମଦନମୋହନ ସାହୁ, ବାପୁଜୀ ସାମଲ, ଶିକ୍ଷାବିତ୍ ସୌଭାଗିନୀ ଦେବୀ, ସାମ୍ବାଦିକ ରବିନ୍ଦ୍ର ସେଠ, ଦେବାଶିଷ ପରିଡା, ପ୍ରିୟ ମାଧବ ଦାସ, ପ୍ରଦୀପ ମହାରଣା, ଡେଭେଲପ୍ ଇଣ୍ଡିଆର ଅଧ୍ୟକ୍ଷା ସୌରଭିନୀ ନାୟକ, ନାରାୟଣ ଲାଲ୍ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

